ଜୟପୁର: ବାତ୍ୟା ‘ମୋନ୍ଥା’ ର ପ୍ରଭାବରେ ଆନ୍ଧ୍ର ଓଡିଶା ଯୋଗାଯୋଗ ବିଚ୍ଛିନ୍ନ ହୋଇଛି। ଆନ୍ଧ୍ରର ପ୍ରସିଦ୍ଧ ପର୍ଯ୍ୟଟନ ସ୍ଥଳ ଆରକୁ ଓ ଓଡିଶାର ଦକ୍ଷିଣ ଜିଲ୍ଲାଗୁଡିକରେ ଭାରୀ ବର୍ଷା ଜାରି ରହିଛି। ଏହି ପ୍ରବଳ ବର୍ଷାରେ କୋରାପୁଟ–କୋତାୱାଲସା ରେଳ ଲାଇନ ପୂରାପୁରି ଧୋଇଯାଇଛି। ଚମିଟିପାଲୀ ନିକଟରେ ପାହାଡ଼ରୁ ମାଡ଼ି ଆସିଥିବା ପାଣି ଓ ମାଟି ରେଳ ପାଥରକୁ ଭାଙ୍ଗିଦେଇ ଯାତାୟାତ ବାଧା ସୃଷ୍ଟି କରିଛି।
ଫଳସ୍ୱରୂପ, କୋରାପୁଟ–କୋତାୱାଲସା ରୁଟରେ ସମସ୍ତ ଯାତ୍ରୀବାହୀ ଓ ଏକ୍ସପ୍ରେସ୍ ଟ୍ରେନ୍ ବାତିଲ ହୋଇଛି। ମାଲବାହୀ ଟ୍ରେନ୍ଗୁଡ଼ିକୁ ବିଭିନ୍ନ ଷ୍ଟେସନରେ ଅଟକାଇ ରଖାଯାଇଛି। ରେଳ ବିଭାଗର ବିଶେଷ ଟିମ୍ ଘଟଣାସ୍ଥଳରେ ପହଞ୍ଚି ସ୍ଥିତି ଅନୁଧ୍ୟାନ କରୁଛନ୍ତି। ତେବେ, ପାହାଡ଼ରୁ ଅଧିକ ପରିମାଣରେ ପାଣି ମାଡ଼ି ଆସୁଥିବାରୁ ମରାମତି କାମ ଆରମ୍ଭ ହୋଇପାରିନି।
ଏହି ଭାରୀ ବର୍ଷା ଫଳରେ ଆନ୍ଧ୍ର–ଓଡିଶା ଯୋଗାଯୋଗ ପୂରାପୁରି ବିଚ୍ଛିନ୍ନ ହୋଇପଡ଼ିଛି। ଆରକୁ ଘାଟି ରାସ୍ତା ଜଳମଗ୍ନ ହୋଇଥିବାରୁ ଗାଡ଼ି ଚଳାଚଳ ବନ୍ଦ ହୋଇଛି। ରାଜ୍ୟ ରାଜପଥ ଉପରେ ପାହାଡ଼ ଜଳ ପ୍ରବାହିତ ହୋଇବାରୁ ଆନ୍ଧ୍ର ପ୍ରଶାସନ ତତ୍କାଳିକ ଭାବରେ ଲମତାପୁଟ–ଆରକୁ–ବିଶାଖାପାଟଣା ରୁଟକୁ ବନ୍ଦ କରିଦେଇଛି।
ପର୍ଯ୍ୟଟନ ସମୟ ଥିବାରୁ ଏହି ରୁଟରେ ଅଧିକ ସଂଖ୍ୟାରେ ପର୍ଯ୍ୟଟକ ଯାତାୟାତ କରୁଥିବାରୁ ପ୍ରଶାସନ ସତର୍କ ଅବସ୍ଥାନ ନେଇଛି। ରାତିରୁ ଆରମ୍ଭ ହୋଇଥିବା ଭାରୀ ବର୍ଷା ଏବେ ସୁଦ୍ଧା ଜାରି ରହିଛି। ସ୍ଥାନୀୟ ପ୍ରଶାସନ ଓ ରେଳ ବିଭାଗ ପକ୍ଷରୁ ଜଣାଯାଇଛି ଯେ, ବର୍ଷା କମିଲେ ରେଳ ଲାଇନ ଓ ରାସ୍ତା ମରାମତି ଆରମ୍ଭ ହେବ ଏବଂ ସିଗ୍ରହି ଯାତାୟାତ ସ୍ୱାଭାବିକ ହେବାର ଆଶା ରହିଛି।





