ନୂଆପଡ଼ା / ଭୁବନେଶ୍ୱର: ନୂଆକରି ନୂଆପଡ଼ା ଆସିଥିବା ବିଜେପି ନେତ୍ରୀ ତଥା ରାଜ୍ୟ ଉପମୁଖ୍ୟମନ୍ତ୍ରୀ ପ୍ରଭାତି ପରିଡ଼ାଙ୍କ ସୁଭଦ୍ରା ଶକ୍ତି ସମାବେଶ ନିର୍ବାଚନ ଆଚରଣ ବିଧି ଉଲଂଘନ ବିଷୟରେ ଅଭିଯୋଗ ଉଠିଛି। ସୁଭଦ୍ରା ଯୋଜନାକୁ ନେଇ ତାଙ୍କ ଭ୍ରମାତ୍ମକ ବକ୍ତବ୍ୟ ଓ କାର୍ଯ୍ୟକଳାପକୁ ନେଇ କଂଗ୍ରେସ ତୀବ୍ର ନିନ୍ଦା କରିଛି।
ଆଜି ନୂଆପଡ଼ାର ଖୁଣ୍ଟିଆ ଭବନରେ ଆୟୋଜିତ ସାମ୍ବାଦିକ ସମ୍ମୀଳନୀରେ ପିସିସି ମୁଖପାତ୍ର ସୋନାଲି ସାହୁ ଏହା ଜଣାଇଥିଲେ। ସେ କହିଥିଲେ ଯେ, ନିର୍ବାଚନ ଆଦର୍ଶ ଆଚରଣ ବିଧି ଲାଗୁ ହେବା ସତ୍ତେ ସୁଭଦ୍ରା ଶକ୍ତି ସମାବେଶ ନାଁରେ ଦଳୀୟ ବ୍ୟାନର ରେ ମହିଳାମାନଙ୍କୁ ନେଇ ସଭା କରାଗଲା, ଯାହା ନିଶ୍ଚିତ ଭାବେ ଆଚରଣ ବିଧି ଉଲଂଘନ।
କଂଗ୍ରେସ ଏହି ଅଭିଯୋଗକୁ ନେଇ ରାଜ୍ୟ ମୁଖ୍ୟ ନିର୍ବାଚନ ଅଧିକାରୀଙ୍କୁ ଅଭିଯୋଗ କରିଛି। ସୋନାଲି ସାହୁ ଅଭିଯୋଗ କରିଛନ୍ତି ଯେ, ସୁଭଦ୍ରା ଯୋଜନା ନାମରେ ଭୋଟ ଲୁଟ ହେଉଛି ଓ ବିଜେପି ଏହାକୁ ଅଭ୍ୟାସରେ ପରିଣତ କରିଛି।
ସେ ଉଦାହରଣ ଦେଇ କହିଥିଲେ, 2019 ରେ ଆସାମ ମୁଖ୍ୟମନ୍ତ୍ରୀ ହିମନ୍ତ ବିଶ୍ୱଶର୍ମା ୫୦ ହଜାର ଟଙ୍କା ଦେବେ ବୋଲି ମହିଳାଙ୍କୁ ପ୍ରତିଶ୍ରୁତି ଦେଇଥିଲେ, କିନ୍ତୁ ପରେ ସେହି ରାଶି ୫ ହଜାର କିସ୍ତି ହୋଇଗଲା। ଏବେ ଏସସି ଏବଂ ଏସଟି ଛାତ୍ରୀମାନଙ୍କୁ ମଧ୍ୟ ବଞ୍ଚିତ କରାଯାଉଛି।
ସୋନାଲି ସାହୁ ଦାବି କରିଛନ୍ତି ଯେ, ନୂଆପଡ଼ା ଜିଲ୍ଲାର ୨୦ ହଜାର ଛାତ୍ରୀ ସୁଭଦ୍ରା ଯୋଜନାରୁ ବଞ୍ଚିତ ହୋଇଛନ୍ତି। ସେ ପ୍ରଶ୍ନ କରିଛନ୍ତି “ନୂଆପଡ଼ା ମହିଳାଙ୍କୁ ଶକ୍ତିହୀନ କରି ସୁଭଦ୍ରା ଶକ୍ତି ସମାବେଶ କରିବାକୁ ଉପମୁଖ୍ୟମନ୍ତ୍ରୀ ପ୍ରଭାତି ପରିଡ଼ାଙ୍କୁ କେମିତି ଲଜ୍ଜା ଲାଗୁନି?”
ସେ ଆହୁରି କହିଛନ୍ତି ଯେ, ରାସ୍ତା, ବସ, ଅଟୋ ଓ ହୋର୍ଡିଂ ମାଧ୍ୟମରେ ଲୋକଙ୍କୁ ପ୍ରତାରଣା କରାଯାଉଛି। “ଯେଉଁ ସରକାର ବେଟୀ ବଚାଓ ବେଟୀ ପଢାଓର ନାରା ଦେଉଛି, ସେହି ଓଡ଼ିଶାରେ ପ୍ରତିଦିନ 30 ଦୁଷ୍କର୍ମ ହେଉଛି,” ସେ ଆକ୍ରୋଶ ପ୍ରକାଶ କରିଛନ୍ତି।
ଡ଼ା. ମନିଷା ଦାସ ପଟ୍ଟନାୟକ ମଧ୍ୟ କହିଛନ୍ତି ଯେ, ଶାସକ ଦଳ ଖୋଲାଖୋଲି ନିର୍ବାଚନ ଆଚରଣ ବିଧି ଉଲଂଘନ କରୁଛି। ପ୍ରଭାତି ପରିଡ଼ା ସୁଭଦ୍ରା ଯୋଜନାକୁ ଦଳୀୟ ପ୍ରଚାରରେ ବ୍ୟବହାର କରୁଛନ୍ତି।
ସେ ଆରୋପ କରିଛନ୍ତି ଯେ, ଲୋକ ସମ୍ପର୍କ ବିଭାଗକୁ ମଧ୍ୟ ଦଳୀୟ ପ୍ରଚାର ପାଇଁ ଲଗାଯାଇଛି। ସରକାର ଏହା ଉପରେ ସଫା ଜବାବ ଦେବା ଆବଶ୍ୟକ। ସମାବେଶକୁ ନୂଆପଡ଼ା କଂଗ୍ରେସ ଗଣମାଧ୍ୟମ ସଂଯୋଜକ ସୁଧୀର ମିଶ୍ର ସଂଯୋଜନା କରିଥିଲେ।








