ବୌଦ୍ଧ(ସର୍ବେଶ୍ୱର କ୍ଷେତି): ଜିଲ୍ଲା ମୁଖ୍ୟ ଚିକିତ୍ସାଳୟ ଉପରେ ଦିନକୁ ଦିନ ରୋଗୀଙ୍କ ନିର୍ଭରଶୀଳତା ବୃଦ୍ଧି ପାଉଥିବା ବେଳେ ଶଯ୍ୟାର ଅଭାବ ସାଙ୍ଗକୁ ଉନ୍ନତ ଚିକିତ୍ସା ସୁବିଧା ଉପଲବ୍ଧ ହୋଇପାରୁନାହିଁ l ସମସ୍ୟାର ସ୍ଥାୟୀ ସମାଧାନ ପାଇଁ ପ୍ରାୟ ୪ ବର୍ଷ ତଳେ ୩ ଶହ ଶଯ୍ୟା ବିଶିଷ୍ଟ ନୂତନ କୋଠାର ପରିକଳ୍ପନା ହୋଇଥିଲା l ତଦନୁଯାୟୀ ସ୍ଥାନ ଚିହ୍ନଟ କରାଯାଇ ବହୁତଳ ବିଶିଷ୍ଟ କୋଠା ମଧ୍ୟ ନିର୍ମାଣ ହେଲା l କିନ୍ତୁ ଏପର୍ଯ୍ୟନ୍ତ ଏହାକୁ କାର୍ଯ୍ୟକ୍ଷମ କରାଯାଇପାରୁନି l ଖୁବ୍ଶୀଘ୍ର ଏହାର ଉଦ୍ଘାଟନ କରାଯିବ ବୋଲି କୁହାଯାଉଥିଲେ ମଧ୍ୟ, ପଦ୍ମ ଘୁଞ୍ଚିଘୁଞ୍ଚି ଯାଉଛି l କେଉଁଠି ରହିଛି କେଁ, ସେନେଇ ନାନା ପ୍ରକାର ଚର୍ଚ୍ଚା ହେଉଛି l ତେବେ ଯେଉଁଠାରେ ଏହି ନୂତନ କୋଠା ସ୍ଥାପନ ହୋଇଛି, ତାହା ସ୍ବାସ୍ଥ୍ୟ ବିଭାଗକୁ ଏପର୍ଯ୍ୟନ୍ତ ହସ୍ତାନ୍ତର ହୋଇପାରିନଥିବାରୁ ବିଳମ୍ବ ହେଉଥିବା ସୂଚନା ମିଳିଛି l
ଗତ ୨ ତାରିଖରେ ମାଉସୀ ମା ମନ୍ଦିରଠାରେ ଅନୁଷ୍ଠିତ ବୁଦ୍ଧିଜୀବୀ ସମ୍ମିଳନୀରେ ଏହି ପ୍ରମୁଖ ପ୍ରସଙ୍ଗ ଉତ୍ଥାପନ ହୋଇଥିଲା l ନାଗରିକ କମିଟିର ସମ୍ପାଦକ ବିଶ୍ବେଶ୍ୱର ପୃଷ୍ଟି ଏସମ୍ପର୍କରେ ତଥ୍ୟ ଉପସ୍ଥାପନ ପୂର୍ବକ ବିଷଦ ଆଲୋଚନା କରିଥିଲେ l ତଥ୍ୟ ମୁତାବକ, ୨୦୨୧ ମସିହାରେ ଏହି ନୂତନ କୋଠାର ନିର୍ମାଣ କାର୍ଯ୍ୟ ଆରମ୍ଭ ହୋଇଥିଲା l ଏଥିପାଇଁ ଏକ ଘରୋଇ ଠିକା ସଂସ୍ଥାକୁ ନିୟୋଜିତ କରାଯାଇଥିଲା l ୨ ବର୍ଷ ମଧ୍ୟରେ କାମ ସମ୍ପୂର୍ଣ୍ଣ କରିବାକୁ ଲକ୍ଷ୍ୟ ଧାର୍ଯ୍ୟ କରାଯାଇଥିଲା l ବିଳମ୍ବ ହେଲେ ମଧ୍ୟ କୋଠା ନିର୍ମାଣ କାର୍ଯ୍ୟ ଏକପ୍ରକାର ଶେଷ ହୋଇଛି l
ସ୍ବାସ୍ଥ୍ୟ ବିଭାଗକୁ ଜମି ହସ୍ତାନ୍ତର ହୋଇ ପାରିନାହିଁ l ଜିଲ୍ଲାପାଳଙ୍କ କାର୍ଯ୍ୟାଳୟ ତରଫରୁ ପ୍ରାଥମିକ ମଞ୍ଜୁରୀ ପାଇଁ ଉତ୍ତରାଞ୍ଚଳ ଆର୍ଡିସିଙ୍କ ପାଖକୁ ଫାଇଲ୍ ପଠାଯାଇଥିଲା l ତାଙ୍କର ୫ ଏକର ଜମିକୁ ପଟ୍ଟା ପ୍ରଦାନ କରିବାର କ୍ଷମତା ରହିଛି l କିନ୍ତୁ ମୁଖ୍ୟ ଚିକିତ୍ସାଳୟର ନୂତନ କୋଠା ହୋଇଥିବା ଜମିର ପରିମାଣ ଅଧିକା ଥିବାରୁ ଆର୍ଡିସି ଏହାକୁ ବୋର୍ଡ ଅଫ୍ ରେଭିନ୍ୟୁ, କଟକକୁ ପଠାଇବାର ବ୍ୟବସ୍ଥା ରହିଛି l
ବୋର୍ଡ ଅଫ୍ ରେଭିନ୍ୟୁଙ୍କ ସ୍ବୀକୃତି ମିଳିବା ପରେ ରାଜ୍ୟ ସରକାର ସମ୍ପୃକ୍ତ ବିଭାଗକୁ ପଟ୍ଟା ପ୍ରଦାନ କରିବେ l ତେବେ ଆର୍ଡିସିଙ୍କ ପାଖକୁ ପଠାଯାଇଥିବା ଫାଇଲ୍ ଅନୁଧ୍ୟାନ କଲା ପରେ ଦୁଇଟି ଜଳାଶୟ କିସମ ଥିବାରୁ ସେ ଦୁଇଟିକୁ ବାଦ୍ ଦେଇ ନୂତନ ପ୍ରସ୍ତାବ ପ୍ରେରଣ କରିବାକୁ ନିର୍ଦ୍ଦେଶ ଦେଇଥିଲେ l ତଦନୁଯାୟୀ ଜିଲ୍ଲା ପ୍ରଶାସନ ପକ୍ଷରୁ ଦୁଇ ଜଳାଶୟ କିସମକୁ ବାଦ୍ ଦେଇ ଅବଶିଷ୍ଟ ୮.୧୯୯ ଏକର ବିଶିଷ୍ଟ ନୂତନ ପ୍ରସ୍ତାବନା ପ୍ରସ୍ତୁତ କରାଯାଇ ଗତ ସେପ୍ଟେମ୍ବର ମାସରେ ଆର୍ଡିସିଙ୍କ କାର୍ଯ୍ୟାଳୟକୁ ପଠାଯାଇଥିଲା l
ତେବେ ସାଇଟ୍ ସିଲେକ୍ସନ କମିଟି ବସି ଗ୍ରହଣ କରାଯାଇଥିବା ପ୍ରସ୍ତାବକୁ ବର୍ଷକ ମଧ୍ୟରେ କାର୍ଯ୍ୟକ୍ଷମ କରାନଗଲେ ତାହା ଆପେ ବାତିଲ୍ ହୋଇଯିବ ବୋଲି ନିୟମ ଥିବା ଦର୍ଶାଇ ପୁନଃ ତାକୁ ଫେରାଇ ଦେଇଥିଲେ l ପୁଣିଥରେ ସାଇଟ୍ ସିଲେକ୍ସନ୍ କମିଟି ବସି ନୂତନ ପ୍ରସ୍ତାବନା ପଠାଇଲେ ବିଚାର କରାଯିବ ବୋଲି ଦର୍ଶାଇଥିଲେ l ତେଣୁ ଗତ ଅକ୍ଟୋବର ମାସରେ ସାଇଟ୍ ସିଲେକ୍ସନ କମିଟି ବସି ନୂତନ ଭାବେ ପ୍ରସ୍ତାବନା ଗ୍ରହଣ କରି ସମସ୍ତ ନଥିପତ୍ର ଆର୍ଡିସିଙ୍କ କାର୍ଯ୍ୟାଳୟକୁ ପଠାଯାଇଛି l ଏହା ମଧ୍ୟରେ ଗୋଟିଏ ମାସ ଅତିକ୍ରାନ୍ତ ହେଲାଣି l
ଆର୍ଡିସିଙ୍କ ଅଫିସ୍ରୁ ଫାଇଲ୍ ଆଗକୁ ବଢ଼ିପାରୁନି l ଅନ୍ୟପକ୍ଷେ ନୂତନ କୋଠାର ସ୍ଥାୟୀ ପଟ୍ଟା ନଥିବାରୁ ଫାୟାର୍ ସେଫ୍ଟି ସାର୍ଟିଫିକେଟ୍ ମିଳିପାରୁନି l ସ୍ବାସ୍ଥ୍ୟ ବିଭାଗକୁ ପଟ୍ଟା ହସ୍ତାନ୍ତର ହେଲାପରେ ଯାଇ ଏକ୍ସରେ, ଇସିଜି, ସିଟିସ୍କାନ ଆଦି ସ୍ବାସ୍ଥ୍ୟ ଉପକରଣ ଆସି ଖଞ୍ଜା ହେବ l ଜିଲ୍ଲାବାସୀଙ୍କ ବୃହତ୍ତର ସ୍ବାର୍ଥକୁ ଦୃଷ୍ଟିରେ ରଖି ସ୍ଥାନୀୟ ନିର୍ବାଚିତ ଜନ ପ୍ରତିନିଧି ଏଥିପ୍ରତି ଦୃଷ୍ଟି ଦେଇ ବିହିତ ପଦକ୍ଷେପ ନେବା ଆବଶ୍ୟକ ବୋଲି ଉକ୍ତ ବୈଠକରେ ମତପ୍ରକାଶ ପାଇଥିଲା l













