ବିଶ୍ବର ଦେଶଗୁଡ଼ିକ ଦିନକୁ ଦିନ ଅଧିକ ଋଣଗ୍ରସ୍ତ ହେବାରେ ଲାଗିଛି । ଅକ୍ଟୋବର ମାସ ପାଇଁ ଅନ୍ତର୍ଜାତୀୟ ମୁଦ୍ରା ପାଣ୍ଠି (IMF) ପକ୍ଷରୁ ପ୍ରକାଶିତ ରିପୋର୍ଟ ଅନୁସାରେ ବିଶ୍ବର ଜିଡିପି ଅଭିବୃଦ୍ଧି ମନ୍ଥର ହେଉଥିବାବଳେ ଋଣ ଦିନକୁ ଦିନ ବଢି ବଢି ଚାଲିଛି । ୨୦୨୫ରେ ବିଶ୍ବର ଜିଡିପି-ଋଣ ଅନୁପାତ ୯୪.୭ ପ୍ରତିଶତରେ ପହଞ୍ଚିଛି ଯାହାକି ବର୍ଷକ ପୂର୍ବେ ୯୨.୪ ପ୍ରତିଶତ ଥିଲା । ଋଣ ଏପରି ବଢିଚାଲିଲେ ୨୦୩୦ ସୁଦ୍ଧା ତାହା ୧୦୨ ପ୍ରତିଶତରେ ପହଞ୍ଚିବାର ଆଶଙ୍କା ରହିଛି ବୋଲି ଆଇଏମଏଫ ପୂର୍ବାନୁମାନ କରିଛି ।
ତେବେ ବିଶ୍ବର ସବୁଠାରୁ ଋଣଗ୍ରସ୍ତ ଦେଶ କିଏ ? ଆଇଏମଏଫ ଯେଉଁ ତାଲିକା ପ୍ରକାଶ କରିଛି ତାହାକୁ ଦେଖିଲେ ଆପଣମାନେ ମଧ୍ୟ ଆଶ୍ଚର୍ଯ୍ୟ ଚକିତ ହୋଇଯିବେ । ବିଶ୍ବର ସବୁଠାରୁ ଋଣଗ୍ରସ୍ତ ଦେଶ ହେଉଛି ଜାପାନ । ଜାପାନର ଋଣ ତାହାର ଜିଡିପିର ୨୨୯.୬ ପ୍ରତିଶତ ରହିଛି । ଅର୍ଥାତ୍ ଜାପାନର ମୋଟ ଘରୋଇ ଉତ୍ପାଦର ଦୁଇଗୁଣ ହୋଇଯାଇଛି ଋଣ । ଜାପାନର ମନ୍ଥର ହେଉଥିବା ଅର୍ଥନୀତି ଓ ବୟସ୍କ ଜନସଂଖ୍ୟା ଏହି ସମସ୍ୟାକୁ ଉତ୍କଟ କରିଛି ବୋଲି କୁହାଯାଉଛି । ୨ୟ ସ୍ଥାନରେ ରହିଛି ଆଫ୍ରିକୀୟ ଦେଶ ସୁଦାନ ଯାହାର ଜିଡିପି-ଋଣ ଅନୁପାତ ୨୨୧ ପ୍ରତିଶତ ରହିଛି । ସେହିପରି ୩ୟ ସ୍ଥାନରେ ସିଂଗାପୁର ରହିଛି, ଯାହାର ଜିଡିପି-ଋଣ ଅନୁପାତ ୧୭୫.୬ ପ୍ରତିଶତ ରହିଛି ।
ଚତୁର୍ଥ, ପଂଚମ, ୬ଷ୍ଠ ଓ ୭ମ ସ୍ଥାନରେ ଅଛନ୍ତି ଗ୍ରୀସ, ବାହରିନ, ଇଟାଲି ଓ ମାଳଦ୍ବୀପ ରହିଥିବା ବେଳେ ୮ମ ସ୍ଥାନରେ ରହିଛି ବିଶ୍ବର ସବୁଠାରୁ ଶକ୍ତିଶାଳୀ ଓ ୧ ନମ୍ବର ଅର୍ଥନୈତିକ ଦେଶ ଆମେରିକା । ଏହାର ଜିଡିପି-ଋଣ ଅନୁପାତ ୧୨୫ ପ୍ରତିଶତ ରହିଛି । ସେହିପରି ଚୀନର ସ୍ଥାନ ୨୧ ନମ୍ବରରେ ରହିଛି ଯାହାର ଜିଡିପି-ଋଣ ଅନୁପାତ ୯୬.୩ ପ୍ରତିଶତ ରହିଛି । ତେବେ ଏଠାରେ ପ୍ରଶ୍ନ ଉଠେ ଭାରତର ସ୍ଥାନ କେଉଁଠି ରହିଛି ? ୮୧.୪ ପ୍ରତିଶତ ଜିଡିପି-ଋଣ ଅନୁପାତ ସହ ଭାରତ ଏହି ତାଲିକାର ୩୫ତମ ସ୍ଥାନରେ ଅଛି । ଅର୍ଥାତ ଭାରତର ଜିଡିପି-ଋଣ ଅନୁପାତ ବିଶ୍ବର ହାରାହାରି ଅନୁପାତ (୯୪.୭ ପ୍ରତିଶତ) ଠାରୁ କମ ରହିଛି, ଯାହାକି ଏକ ଆଶ୍ବସ୍ତିର ବିଷୟ ।










