ପୁରୀ: ବିକ୍ରି ହେବ ବିଶ୍ବପ୍ରସିଦ୍ଧ ପୁରୀ ରଥଯାଚ୍ରାରେ ବ୍ୟବହୃତ ରଥ ଅଂଶ । ସେଥିପାଇଁ ପ୍ରକିୟା ଆରମ୍ଭ ହୋଇଛି । ଏଥିପାଇଁ ଶ୍ରୀଜଗନ୍ନାଥ ମନ୍ଦିର ପ୍ରଶାସନ ପକ୍ଷରୁ ଆରମ୍ଭ ହୋଇଛି ଆବେଦନ ପ୍ରକ୍ରିୟା । ୨୦୨୫ ରଥଯାତ୍ରାରେ ବ୍ୟବହୃତ ଶ୍ରୀଜଗନ୍ନାଥଙ୍କ ନନ୍ଦିଘୋଷ, ବଳଭଦ୍ରଙ୍କ ତାଳଧ୍ବଜ, ଓ ଦେବୀ ସୁଭଦ୍ରାଙ୍କ ଦର୍ପଦଳନ ରଥର ବିଭିନ୍ନ ଅଂଶ ବିକ୍ରି ପାଇଁ ଏସଓପି ପ୍ରସ୍ତୁତ କରିଛି ପ୍ରଶାସନ । କିଛି ଦିନ ପୂର୍ବରୁ ଶ୍ରୀଜିଉଙ୍କ ସେବାରେ ବ୍ୟବହୃତ ତିନୋଟି ରଥର ଚକ ଓ ଅନ୍ୟ ଉପକରଣ ବିକ୍ରି ପାଇଁ ଆବେଦନ ଆହ୍ବାନ କରିଥିଲା ଶ୍ରୀମନ୍ଦିର ପ୍ରଶାସନ । ତେବେ ଏଥିରେ ସମସ୍ୟା ହେବାରୁ ବିକ୍ରି ପାଇଁ ଦ୍ୱିତୀୟ ପର୍ଯ୍ୟାୟ ପଦକ୍ଷେପ ନେଇଛି ଶ୍ରୀମନ୍ଦିର ପ୍ରଶାସନ । ଚଳିତ ମାସ ୧୦ ତାରିଖକୁ ଆବେଦନର ଶେଷ ତାରିଖ ଧାର୍ଯ୍ୟ କରାଯାଇଥିବାବେଳେ ରଥଚକର ମୂଲ୍ୟ ଧାର୍ଯ୍ୟ କରାଯାଇଛି । ନିର୍ଦ୍ଧାରିତ ମୂଲ୍ୟ ଅନୁସାରେ ରଥ ଚକର ମୂଲ୍ୟ ୩ ଲକ୍ଷ ଟଙ୍କା ରଖାଯାଇଛି ।
ରଥ ଚକ, ଗୁଜ, ଅଂଶୁ ଉପଯୁକ୍ତ ଦରରେ ବିକ୍ରି ନେଇ ପୁଣି ପ୍ରୟାସ କରିଛି ପ୍ରଶାସନ । ଜଗନ୍ନାଥଙ୍କ ନନ୍ଦିଘୋଷ ରଥ ଚକର ମୂଲ୍ୟ ୩ ଲକ୍ଷ ଟଙ୍କାରେ ବିକ୍ରି ନେଇ ବିଜ୍ଞପ୍ତି ଜାରି କରିଛି ଶ୍ରୀମନ୍ଦିର ପ୍ରଶାସନ । ଏଥି ପାଇଁ ହଜାରେ ଟଙ୍କା ସହ ଆବେଦନ କରିବାକୁ ହେବ । ବଡ଼ଠାକୁର ବଳଭଦ୍ରଙ୍କ ତାଳଧ୍ବଜ ରଥ ଚକ ଦାମ ୨ ଲକ୍ଷ, ଦେବୀ ସୁଭଦ୍ରାଙ୍କ ଦର୍ପଦଳନ ରଥର ଚକର ମୂଲ୍ୟ ୧.୫ ଲକ୍ଷ ହୋଇଥିବାବେଳେ ପ୍ରତ୍ୟେକ ରଥର ଗୁଜ ଓ ଅଂଶୁଆରି ଦାମ ୧୫ ହଜାର ଟଙ୍କା ନିର୍ଦ୍ଧାରଣ କରାଯାଇଛି । ଆବେଦନ ଶେଷ ତାରିଖର ୧୫ ଦିନ ଭିତରେ ନିର୍ଦ୍ଧାରିତ ଦାମ ଦେଇଥିବା ଭକ୍ତ କିମ୍ବା ଅନୁଷ୍ଠାନକୁ ମିଳିବ ଏହି ସାମଗ୍ରୀ ।
ତେବେ ରଥ ଚକକୁ କିଣି ନେଉଥିବା ଅନୁଷ୍ଠାନ ଶ୍ରୀମନ୍ଦିର ଓ ଶ୍ରୀଜଗନ୍ନାଥ ସଂସ୍କୃତି ଅନୁସାରେ ଏହାକୁ ସମ୍ମାନ ଦେବା ଉଚିତ । ଶ୍ରୀମନ୍ଦିର କାର୍ଯ୍ୟାଳୟ ପକ୍ଷରୁ ଜାରି ହୋଇଥିବା ମାର୍ଗଦର୍ଶିକା କେମିତି ପାଳନ ହେବ ସେନେଇ ଦୃଷ୍ଟି ଦେବା ଉଚିତ ବୋଲି କିଛି ବରିଷ୍ଠ ସେବାୟତ କହିଛନ୍ତି । ସେପଟେ ଶ୍ରୀମନ୍ଦିର କାର୍ଯ୍ୟାଳୟର ବରିଷ୍ଠ ଅଧିକାରୀ ଏ ନେଇ ସୂଚନା ଦେଇଛନ୍ତି ଯେ, ରଥର ବିଭିନ୍ନ ଅଂଶ କିଣା ପ୍ରକିୟାରେ ଭାଗ ନେଉଥିବା କିଛି ଭକ୍ତ ଓ ଅନୁଷ୍ଠାନକୁ ନଜରରେ ରଖି ପୁନଃ ପ୍ରକିୟା ଆରମ୍ଭ ହୋଇଛି ।
ତେବେ ଶ୍ରୀମନ୍ଦିର ଓ ଶ୍ରୀଜିଉଙ୍କ ସାମଗ୍ରୀର ଯେମିତି ମର୍ଯ୍ୟାଦା ରକ୍ଷା ହେବ ସେନେଇ କଡ଼ା ନିର୍ଦେଶ ରହିଛି । ଦିଲ୍ଲୀ ସ୍ଥିତ ସଂସଦ ଭବନ ପରିସରରେ ରଥ ଚକ ସ୍ଥାନିତ କରାଯିବ ବୋଲି ସୂଚନା ମିଳିଛି ।












