ଝାରସୁଗୁଡ଼ା (ବିଜୟ ଶଙ୍କର ଦାଶ): ଆସନ୍ତା ୧୭ ତାରିଖ ଦିନ ବଞ୍ଜାରି ଓ କୁଡ଼ାଲୋଇ ଠାରେ SIA ଜନ ଶୁଣାଣି ଥିବାରୁ ଅସନ୍ତୋଷ ବଢିବାରେ ଲାଗିଛି । କୁଡ଼ାଲୋଇ ନର୍ଥ ଏ କୋଲ ବ୍ଲକ ନିଲାମ ପରେ ଗତ ୧ ଅଗଷ୍ଟ ୨୦୨୩ ମସିହା ପିପିଲିମାଲ ଠାରେ ଜନଶୁଣାଣୀ ହୋଇଥିଲା । ଉକ୍ତ ଜନଶୁଣାଣୀରେ ଉପସ୍ଥିତ ରହି ନିଜ ନିଜର ମତାମତ ତଥା ପରାମର୍ଶ ଦେବାପାଇଁ ଡାକବାଜି ଯନ୍ତ୍ର ଯୋଗେ ଅନୁରୋଧ କରିଥିଲା ଜିଲ୍ଲା ପ୍ରଶାସନ । ସ୍ଥିତି ନିୟନ୍ତ୍ରଣ ସକାଶେ ଜଣେ ଅତିରିକ୍ତ ଏସ୍ପି, ୬ ଜଣ ଡିଏସ୍ପି, ୭ ଜଣ ଇନ୍ସପେକ୍ଟର ଓ ୧୦ ପ୍ଲାଟୁନ୍ ପୁଲିସ ଫୋର୍ସ ମୁତୟନ ଥିବା ବେଳେ ଏକାଧିକ ବାଉନ୍ସରଙ୍କୁ ଦେଖିବାକୁ ମିଳିଥିଲା ।
ଗୋଟିଏ ପଟେ ଜନଶୁଣାଣୀ ସ୍ଥାନରେ ଆବଶ୍ୟକ ଠାରୁ କମ ଚୌକି ଥିବା ବେଳେ ଜିଲ୍ଲା ପ୍ରଶାସନ ପକ୍ଷରୁ ପ୍ରସ୍ତାବିତ ବିସ୍ଥାପିତ ଲୋକଙ୍କ ବଦଳରେ ଅନ୍ୟ ଲୋକଙ୍କୁ ଜନଶୁଣାଣୀ ସ୍ଥାନରେ ସ୍ଥାନ ଦିଆଯାଇଥିଲା । ସେହିପରି ଅନ୍ୟପଟେ ହଜାର ହଜାର ସ୍ଥାନୀୟ ଲୋକଙ୍କୁ ମିଲନ୍ ଛକରେ ଅଟକ ରଖିଥିଲା ପୁଲିସ । ଯଦି ସଭା ଭିତରକୁ ପ୍ରବେଶ କରିବାର ଅନୁମତି ନଥିଲା ତେବେ ଲୋକଙ୍କୁ କାହିଁକି ଡକାଯାଇଥିଲା ବୋଲି ଲୋକେ ପ୍ରଶ୍ନ କରିଥିଲେ । ଏହାକୁ ନେଇ ଘଟଣାସ୍ଥଳରେ ଉତ୍ତେଜନା ପ୍ରକାଶ ପାଇବା ସହ ପୁଲିସ୍-ଜନତା ମୁହାଁମୁହିଁ ହୋଇଥିଲେ ।
୨୦୨୧ ନିଲାମରେ ଯୋଗ ଦେଇ ବେଦାନ୍ତ ଏହି ଖଣି ପାଇଥିବା ବେଳେ ବାର୍ଷିକ ୮ ନିୟୁତ ଟନ୍ କୋଇଲା ଏଠାରୁ ଉତ୍ପାଦନ କରାଯିବ । ୨୩୮୫ ଏକର ଜମିରେ ହେବାକୁ ଥିବା ଏହି କୋଇଲା ଖଣି ପାଇଁ ପିପିଲିମାଲ, ବେଲପାହାଡ଼, ବଞ୍ଜାରି, ଧରୁଆମୁଣ୍ଡା, କୁଡ଼ାଲୋଇ, ବରତାପ ଆଦି ଅଞ୍ଚଳର ଲୋକେ ପ୍ରଭାବିତ ହେବେ । ଗତ ୧ ଅଗଷ୍ଟ ୨୦୨୩ ମସିହା ପିପିଲିମାଲ ଠାରେ ହୋଇଥିବା ଜନଶୁଣାଣୀରେ ଯେଭଳି ଭାବେ ହେବାକୁଥିବା ପ୍ରଭାବିତ ଲୋକଙ୍କୁ ଦମନ କରାଗଲା ତାର ପୁନରାବୃତ୍ତି ଆଶଙ୍କା କରି ଆଜି ବଞ୍ଜରୀ ଗାଁର ଶତାଧିକ ବାସିନ୍ଦା ଜିଲ୍ଲାପାଳଙ୍କୁ ଦାବିପତ୍ର ପ୍ରଦାନ କରିଛନ୍ତି ।
ଆସନ୍ତା ୧୭ ତାରିଖ ବେଦାନ୍ତ କୁଡାଲୋଇ ନର୍ଥ ଏ ବଞ୍ଜାରୀ ଠାରେ ହେବାକୁ ଥିବା ଜନ ଶୁଣାଣି ତଥା ଗ୍ରାମସଭାରେ ସ୍ଥାନୀୟ ଲୋକଙ୍କ ପ୍ରବେଶକୁ ସୁନିଶ୍ଚିତ କରିବା ପାଇଁ ଦାବିପତ୍ରରେ ଉଲ୍ଲେଖ ରହିଛି । ପ୍ରଭାବିତ ହେବାକୁଥିବା ସମସ୍ତ ଗ୍ରାମବାସୀ ଯେମିତି ଏହି ଜନ ଶୁଣାଣିରେ ଅଂଶଗ୍ରହଣ କରି ନିଜ ନିଜ ମତ ଓ ପରାମର୍ଶ ଦେଇପାରିବେ ସେନେଇ ବ୍ୟବସ୍ଥା କରାଯାଉ ବୋଲି ସରପଞ୍ଚ ସୀମା ସାହୁ ଏବଂ ଧନଞ୍ଜୟ ଭୋଇ ଙ୍କ ସହ ବଞ୍ଜାରୀବାସୀ ଦାବି କରିଛନ୍ତି ।













