ହରଭଙ୍ଗା/ବୌଦ୍ଧ(ସର୍ବେଶ୍ୱର କ୍ଷେତି): ହରଭଙ୍ଗା ବ୍ଲକ ବିଜୁ ଜନତା ଦଳ ପକ୍ଷରୁ ଜିଲ୍ଲା ସଭାପତି ପ୍ରଦୀପ କୁମାର ଅମାତଙ୍କ ନେତୃତ୍ୱରେ ଏକ ବିଶାଳ ଜନ ସମ୍ପର୍କ ପଦଯାତ୍ରା ଓ ସାଧାରଣସଭା ଅନୁଷ୍ଠିତ ହୋଇଯାଇଛି। ଦଳ ସୁପ୍ରିମୋ ନବୀନ ପଟ୍ଟନାୟକଙ୍କ ନିର୍ଦ୍ଦେଶକ୍ରମେ ଅକ୍ଟୋବର ୦୯ ତାରିଖରୁ ନଭେମ୍ବର ୦୯ ତାରିଖ ପର୍ଯ୍ୟନ୍ତ ରାଜ୍ୟବ୍ୟାପୀ ଆୟୋଜିତ ହେଉଥିବା ଜନସମ୍ପର୍କ ପଦଯାତ୍ରା ଅବସରରେ ଆଜି ହରଭଙ୍ଗା ଠାରୁ ପୁରୁଣାକଟକ ପର୍ଯ୍ୟନ୍ତ ଜନସମ୍ପର୍କ ପଦଯାତ୍ରା ଆୟୋଜିତ ହୋଇଯାଇଛି। ପୁରୁଣାକଟକଠାରେ ବ୍ଲକ ସଭାପତି ପଙ୍କଜ ସାହୁଙ୍କ ସଭାପତିତ୍ୱରେ ଏକ ସମାବେଶ ଅନୁଷ୍ଠିତ ହୋଇଯାଇଛି। ଶହ ଶହ ସମର୍ଥକମାନେ ହରଭଙ୍ଗା ହାଇସ୍କୁଲରୁ ଶୋଭାଯାତ୍ରାରେ ବାହାରି ହରଭଙ୍ଗା ଗ୍ରାମ, ଛତ୍ରଙ୍ଗ, ଚାରିଛକ ଓ ପୁରୁଣାକଟକ ବଜାର ପରିକ୍ରମା ପରେ ସଭାସ୍ଥଳରେ ପଦଯାତ୍ରା ପହଞ୍ଚିଥିଲା।
ଜିଲ୍ଲା ଉପ ସଭାପତି ପ୍ରଦୀପ୍ତ କୁମାର ସାହୁ ବିଜେପି ସରକାରକୁ କଡ଼ା ସମାଲୋଚନା କରିବା ସହ ବିଜେପି ସରକାର ଗେମ ଚେଞ୍ଜର ନୁହେଁ ବରଂ ନେମ ଚେଞ୍ଜର ବୋଲି ନିଜ ଅଭିଭାଷଣରେ କହିଥିବା ବେଳେ ବୌଦ୍ଧ ନଗରପାଳ ମୃତ୍ୟୁଞ୍ଜୟ ମିଶ୍ର, ଆଡଭୋକେଟ ଅଶୋକ ସାହୁ, ଯୁବନେତା ଅବକାଶ ସାହୁ, ଅଶୋକ ସେଠୀ, ସୁବୋଧ ପ୍ରଧାନ, ପ୍ରଦୀପ ସାହୁ ପ୍ରମୁଖ ମଞ୍ଚାସିନ ଅତିଥିମାନେ ପ୍ରତାରଣାର ୧୬ ମାସର ଡବଲ ଇଞ୍ଜିନ ସରକାରରୁ ଜନସାଧାରଣ ଆଜି ତ୍ରାହି ତ୍ରାହି ଡାକୁଥିବା ବେଳେ ଏହା ବିରୁଦ୍ଧରେ ଦୁର୍ବାର ଲଢେଇ ପାଇଁ ଆହ୍ୱାନ ଦେଇଥିଲେ। କ୍ଷମତାକୁ ଆସିବା ଦିନ ଠାରୁ କୋଉଠିବି ମାଟି ଗାଣ୍ଡୁଆ ଟିଏ ପକାଇନଥିବା ବେଳେ ଏସରକାର ସମୟରେ କେବଳ ରଙ୍ଗମରା ଲଘୁଖଣିଜ ସମ୍ପଦ ଲୁଟ ଓ ପିସି ଆଦାୟରେ ଭାଜପା ନେତାମାନେ ବ୍ୟସ୍ତ ଅଛନ୍ତି। ଏହା ବିରୁଦ୍ଧରେ ବିଜୁ ଜନତା ଦଳ ଦୁର୍ବାର ଲଢେଇ କରିବା ପାଇଁ ଘୋଷଣା କରିଥିଲେ।
ଉକ୍ତ ପଦଯାତ୍ରା ଓ ସାଧାରଣସଭାରେ ସଞ୍ଜୟ ଦେହୁରୀ, ନିହାର ଘୋଷ, ପ୍ରତିଭା ସାହୁ, ଜ୍ୟୋତିର୍ମୟ ଦାସ, ସୁଜ୍ଞାନ କର୍ଣ୍ଣ, ରଜତ ଦାସ, ପୂର୍ବତନ ବ୍ଲକ ଅଧ୍ୟକ୍ଷ ଅକ୍ଷୟ କଁହର, ବାସୁଦେବ ଦେହୁରୀ, ସୁଶୀଲ ଦେହୁରୀ ପ୍ରମୁଖଙ୍କ ନେତୃତ୍ୱରେ କର୍ମୀମାନେ ଜନସମ୍ପର୍କ ଯାତ୍ରା କାର୍ଯ୍ୟକ୍ରମରେ ଯୋଗଦାନ ପୂର୍ବକ ସଫଳ କରିଥିଲେ। ପଦଯାତ୍ରା ସମୟରେ କିଛି କର୍ମୀମାନେ ବାଇକ ଯାତ୍ରା କରୁଥିବା ବେଳେ ଟ୍ରାଫିକ ନିୟମର ଖୋଲାଖୋଲି ଉଲଂଘନ କରୁଥିବାର ଦେଖିବାକୁ ମିଳିଥିଲା।
ପରବର୍ତ୍ତୀ ସମୟରେ ହରଭଙ୍ଗା ପୋଲିସ ପକ୍ଷରୁ ଚେକିଂ କଡ଼ାକଡି କରିବା ଦ୍ୱାରା କିଛି ଦଳୀୟ କର୍ମୀ ଅଧା ବାଟରୁ ଘର ବାହୁଡ଼ା ଯାତ୍ରା କରିଥିଲେ।












