ତାଳଚେର(ବିଜୟ କୁମାର ଦେବତା): ମେସର୍ଶ ମହାନଦୀ କୋଇଲା ଖଣି ତାଳଚେର ର ବଳଭଦ୍ର ଖୋଲାମୁହଁ କୋଇଲା ଖଣି ପାଇଁ ପରିବେଶ ସମ୍ବନ୍ଧୀୟ ଜନ ଶୁଣାଣି ଶାନ୍ତି ଶୃଙ୍ଖଳାର ସହିତ ଅନୁଷ୍ଠିତ ହୋଇଛି। ଅନୁଗୋଳ ଏଡିଏମ୍ ପ୍ରତାପ ପ୍ରୀତି ମୟଙ୍କ ଅଧ୍ୟକ୍ଷତାରେ ଅନୁଷ୍ଠିତ ଜନ ଶୁଣାଣି ଶିବିରରେ ତାଳଚେର ତହସିଲ ଅନ୍ତର୍ଗତ କୁମୁଣ୍ଡା, ଚିତଲପୁର୍, ମରଡହରିହରପୁର, ପାରବେଡା ଏବଂ ବନବାସିପୁର୍ ଗ୍ରାମ କୁ ଅଧିଗ୍ରହଣ ହେବାକୁ ଥିବା ବେଳେ ସମସ୍ତ ଗ୍ରାମ ର ଗ୍ରାମବାସୀ ବୃନ୍ଦ ଉପସ୍ଥିତ ରହି ନିଜର ମତାମତ ପ୍ରଦାନ କରିଥିଲେ। ବିଶେଷ କରି ନିଯୁକ୍ତି ଥଇଥାନ ଏବଂ ପରିବେଶ ପ୍ରଦୂଷଣ ସହିତ ବୃକ୍ଷ ରୋପଣ ଉପରେ ନିଜର ମତାମତ ରଖିଥିଲେ। କୋଇଲା ଖଣି ପାଇଁ ପ୍ରଥମ ପର୍ଯ୍ୟାୟରେ ସମୁଦାୟ ୫୧୪.୪୮ ହେକ୍ଟର ଜମି ପାଇଁ ପରିବେଶ ମଞ୍ଜୁରୀ ଅନୁମୋଦନ ପାଇଁ ଜନଶୁଣାଣୀ କରାଯାଇଥିଲା ବେଳେ ୨୦୨୯-୩୦ ଆର୍ଥିକ ବର୍ଷ ସୁଦ୍ଧା ବାର୍ଷିକ ୧୦ ମିଲିୟନ ଟନ୍ କୋଇଲା ଉତ୍ପାଦନ କରାଯିବାକୁ ଲକ୍ଷ ଧାର୍ଯ୍ୟ କରାଯାଇଛି।
ଏହି ପରିବେଶ ଶୁଣାଣି ବେଳେ ରାଜ୍ୟ ପ୍ରଦୂଷଣ ନିୟନ୍ତ୍ରଣ ବୋର୍ଡ ଆଞ୍ଚଳିକ ଅଧିକାରୀ ରମେଶ ଚନ୍ଦ୍ର ଏକ୍କା ଓ ବଳଭଦ୍ର ଏରିଆ ଜିଏମ୍ ୟୁରେନ୍ ପଟ୍ଟନାୟକଙ୍କ ସମେତ ସରପଞ୍ଚ, ୱାର୍ଡ ମେମ୍ବର, ଗ୍ରାମ ସଭାପତି, ସମ୍ପାଦକ ଓ କ୍ଷତିଗ୍ରସ୍ତ ଗ୍ରାମବାସୀଙ୍କ ପକ୍ଷରୁ ୬ଶହ ପ୍ରତିନିଧି ଯୋଗ ଦେଇ ଜନ ଶୁଣାଣିରେ ଭାଗ ନେଇଥିଲେ।













