ଝାରସୁଗୁଡ଼ା(ବିଜୟ ଶଙ୍କର ଦାଶ): ଝାରସୁଗୁଡ଼ା ସହରରେ ବିଜ୍ଞାପନ ମାରିବା ପୂର୍ବରୁ ପୌର ପ୍ରଶାସନର ଅନୁମତି ନେବା ଆବଶ୍ୟକ l ହେଲେ ପୌର ପ୍ରଶାସନର ବିନା ଅନୁମତିରେ ସହରର ବିଭିନ୍ନ ସ୍ଥାନର କାନ୍ଥ, ଗଛ, ଓ ବିଦ୍ୟୁତ ଖୁଣ୍ଟ ଗୁଡିକରେ ଏକାଧିକ ସଂସ୍ଥା ବିଜ୍ଞାପନ ଲଗାଉଛନ୍ତି l ଝାରସୁଗୁଡ଼ା ସହରକୁ ସ୍ୱଚ୍ଛ ସୁନ୍ଦର କରିବାକୁ ଯାଇ ପୌରାଞ୍ଚଳର ବିଭିନ୍ନ ମୁଖ୍ୟ ରାସ୍ତା କଡ଼ ଓ ଡିଭାଇଡର ମାନଙ୍କରେ ଜିଲ୍ଲା ପ୍ରଶାସନ ପକ୍ଷରୁ ବୃକ୍ଷ ରୋପଣ କରାଯାଇଛି l

ହେଲେ ଉକ୍ତ ଗଛ ଗୁଡ଼ିକୁ ବିଭିନ୍ନ ଅନୁଷ୍ଠାନ ଓ ରାଜନୈତିକ ଦଳ ବଡ଼ ବଡ଼ କଣ୍ଟା ଓ ଜିଆଇ ତାରରେ ବିଜ୍ଞାପନ ପୋଷ୍ଟର ବ୍ୟବହାର କରୁଥୁବା ଅଭିଯୋଗ ହେଉଛି l ସହରର ଗୋଟିଏ କି ଦୁଇଟି ଗଛ ନୁହେଁ ବରଂ ପ୍ରାୟ ଅଧିକାଂଶ ଗଛ ସହିତ ସରକାରୀ ପାଚେରି, କାନ୍ଥ, ବିଦ୍ୟୁତ୍ ଖୁଣ୍ଟ ମାନଙ୍କରେ ବିଜ୍ଞାପନ ଲାଗିଥିବା ଦେଖା ଯାଉଛି l ଫଳରେ ସହରର ସୌନ୍ଦର୍ଯ୍ୟକରଣ ସହ ପରିବେଶ ନଷ୍ଠ ହେଉଥୁବା ବେଳେ ପୌର ପରିଷଦ ଆର୍ଥିକ କ୍ଷତିର ସମ୍ମୁଖୀନ ହେଉଛି l
ନିୟମ ଅନୁସାରେ ଏହା ବେଆଇନ ହୋଇଥିଲେ ମଧ୍ୟ ଜିଲ୍ଲା ପ୍ରଶାସନ ଏଥିପ୍ରତି ଦୃଷ୍ଟି ଦେଉନଥୁବା ଯୋଗୁଁ ଦିନକୁ ଦିନ ଏଭଳି ବେଆଇନ କାର୍ଯ୍ୟ ବେଧଡକରେ ଚାଲିଥିଲା l ଏଥିରେ ଅଙ୍କୁଶ ଲଗାଇବା ପାଇଁ ପୌର ପ୍ରଶାସନ ଅଣ୍ଟା ଭିଡିଛି l ସହରର ବିଭିନ୍ନ ସ୍ଥାନରେ ବେଆଇନ ଭାବେ ବେନର ପୋଷ୍ଟର ଓ ହୋଡିଂ ଲଗାଇଥିବା ସଂପୃକ୍ତ ସଂସ୍ଥା ଗୁଡ଼ିକ ସହ ବିଭିନ୍ନ ରାଜନୈତିକ ଦଳ ଗୁଡ଼ିକୁ ପୌର ପରିଷଦ ନୋଟିସ ଦେବା ଆରମ୍ଭ କରିଛି l ଏହି ପରିପ୍ରେକ୍ଷୀରେ ଆଜି ପୁରୁଣା ବସଷ୍ଟାଣ୍ଡ ଛକ ଗାନ୍ଧୀ ମୂର୍ତ୍ତୀ ପରିସରରେ ଲାଗିଥିବା ହୋଡ଼ିଙ୍ଗ ଗୁଡ଼ିକୁ ପୌର ପ୍ରଶାସନ ବାହାର କରିଛି l












