ତାଳଚେର, ୨୮/୯ — ତାଳଚେର ଟ୍ରକ ମାଲିକଙ୍କ ବିଭିନ୍ନ ସମସ୍ୟାକୁ ନେଇ ଉପ-ଜିଲ୍ଲାପାଳ ସମୀର କୁମାର ଜେନାଙ୍କ ଅଧ୍ୟକ୍ଷତାରେ ଏକ ତ୍ରିପାକ୍ଷିକ ବୈଠକ ଅନୁଷ୍ଠିତ ହୋଇଛି। ବୈଠକରେ ତାଳଚେରର ସମସ୍ତ କୋଲିୟରୀରେ ଫାଷ୍ଟ କମ ଫାଷ୍ଟ ସର୍ଭ ସଠିକ ଭାବେ କାର୍ଯ୍ୟକାରୀ କରିବା, ସଠିକ ଭଡା ନିର୍ଦ୍ଧାରଣ, ଟୋଲଗେଟ ସମସ୍ୟା, ଲୋଡିଂ ସ୍ଲିପ ବଣ୍ଟନରେ ସୁ’ବ୍ୟବସ୍ଥା, ଚାଲାଣ ଉପରେ ଭଡା ଦର ଲେଖିବା ଏବଂ ସମସ୍ତ କୋଲିୟରୀରେ ଡିଜିଟାଲ ପ୍ଲେ ବୋର୍ଡ ବ୍ୟବସ୍ଥା କରିବା ବିଷୟ ଉପରେ ଆଲୋଚନା ହୋଇଥିଲା।
ଗୋଟିଏ ଦିନରେ ଦୁଇଟି ସ୍ଥାନରେ ଟ୍ରକ ନମ୍ବର କରିବା ସମସ୍ୟା, କୋଇଲା ଖଣିରେ ପାର୍କିଂ ବ୍ୟବସ୍ଥା ଓ କୋଇଲା ପରିମାଣ ବୃଦ୍ଧି ନେଇ ବିସ୍ତୃତ ଚର୍ଚ୍ଚା ହୋଇଥିଲା। ବୈଠକରେ ଉପସ୍ଥିତ କୋଇଲା ଖଣି ଅଧିକାରୀ, କମ୍ପାନୀ ପ୍ରତିନିଧି, ଆରଟିଓ ଓ ଅନ୍ୟାନ୍ୟ ଅଧିକାରୀମାନେ ସମସ୍ତ ନିଷ୍ପତିକୁ କଡାକଡି ଭାବରେ ପାଳନ କରିବାକୁ ଘୋଷଣା କରିଥିଲେ। ବୈଠକରେ ଏହା ମଧ୍ୟ ନିଷ୍ପତି ହୋଇଛି ଯେ, ନିଷ୍ପତିକୁ ଅବହେଳା କିମ୍ବା ଅବମାନନା କଲେ ଆଇନଗତ କାର୍ଯ୍ୟାନୁଷ୍ଠାନ ନିଆଯିବ।
କୋଇଲା ପରିମାଣ ବୃଦ୍ଧି ବିଷୟରେ କେନ୍ଦ୍ର ସରକାରଙ୍କ ସହଯୋଗ ଆବଶ୍ୟକ ବୋଲି ଜଣାଇ, ଏହା ନିମନ୍ତେ ପତ୍ର ମାଧ୍ୟମରେ ଦାବି ଉଠାଇବାକୁ ନିଷ୍ପତି ହୋଇଛି। ବୈଠକରେ ଏସଡିପିଓ ଭରତ ଚନ୍ଦ୍ର ସାହୁ, ଆଇଆଇସି ତାଳଚେର, କଲିୟରି ଓ ଗୋପାଳପ୍ରସାଦ ଥାନା ଅଧିକାରୀ, ଆରଟିଓ, ଡିଡିଏମ, ବିଭିନ୍ନ କୋଇଲା ଖଣି ଅଧିକାରୀ ଓ ଟ୍ରକ ମାଲିକ ସଂଘ ପଦାଧିକାରୀ — ସଭାପତି ଦିଲ୍ଲୀପ ପାଣି, ସାଧାରଣ ସମ୍ପାଦକ ପ୍ରକାଶ ମହାରଣା, କାର୍ଯ୍ୟକାରୀ ସଭାପତି ନିରଞ୍ଜନ ପ୍ରଧାନ, ବିରଞ୍ଚି ସାହୁ, ମୁରଲୀଧର ସାହୁ, ଫିରୋଜ ପ୍ରଧାନ ଓ ସେକ୍ଟର ପ୍ରମୁଖମାନେ ଉପସ୍ଥିତ ଥିଲେ।
ବୈଠକ ପରେ, କୋଇଲା ପରିମାଣ ବୃଦ୍ଧି ବିଷୟ ନେଇ କେନ୍ଦ୍ର ମନ୍ତ୍ରୀ ଧର୍ମେନ୍ଦ୍ର ପ୍ରଧାନଙ୍କୁ ସାକ୍ଷାତ କରିବା ପାଇଁ, ଟ୍ରକ ସଂଘ ସଭାପତି ଦିଲ୍ଲୀପ ପାଣି, ନିରଞ୍ଜନ ପ୍ରଧାନ, ଫିରୋଜ ପ୍ରଧାନ ଓ ଅନୁଗୁଳ ବିଧାୟକ ପ୍ରତାପ ପ୍ରଧାନ ବିହାର ପାଟଣାକୁ ଯାତ୍ରା କରିଛନ୍ତି।








