ହରଭଙ୍ଗା, ବୌଦ୍ଧ : ହରଭଙ୍ଗା ତହସିଲ ଅନ୍ତର୍ଗତ ମହାନଦୀ ବାଲିଘାଟରେ ବିନା ଟ୍ରାଞ୍ଜିଟ ପାସରେ ବେଧଡ଼କ ଭାବେ ବାଲି ଚୋରା ଚାଲାଣ ହେଉଥିବା ଖବର ସାମ୍ନାକୁ ଆସିଛି। ରାଜ୍ୟରେ ଲଘୁ ଖଣିଜ ସମ୍ପଦ ଲୁଟ ରୋକିବା ପାଇଁ ସରକାରଙ୍କ ଷ୍ଟିଲ ଏବଂ ମାଇନ୍ସ ବିଭାଗ ପକ୍ଷରୁ ଜିଲ୍ଲାସ୍ତରୀୟ ଟାସ୍କ ଫୋର୍ସ ଗଠନ ହୋଇଥିଲେ ମଧ୍ୟ, ବାଲି ମାଫିଆଙ୍କ ଦୌରାତ୍ମ୍ୟ ଦିନକୁ ଦିନ ବୃଦ୍ଧି ପାଉଛି। ସରକାରଙ୍କ କୋଟି କୋଟି ଟଙ୍କା ରାଜସ୍ୱ ହାନୀ ହେଉଥିବା ବେଳେ ବାଲି ଚୋରା ଚାଲାଣ ନିୟନ୍ତ୍ରଣ ହେଉନଥିବା ନେଇ ସାଧାରଣରେ ଅସନ୍ତୋଷ ବ୍ୟକ୍ତ ହେଉଛି।
ହାଇୱା ଗାଡ଼ି ପ୍ରତି ଟ୍ରିପରେ ୧୦,୦୦୦ ଟଙ୍କା ନିଆଯାଉଥିବା ବେଳେ ମହାନଦୀ କୂଳରେ ବସୁଥିବା ଗରିବ ଲୋକମାନେ ଘର ଖଣ୍ଡିଏ ତିଆରି କରିବା ସମୟରେ ବାଲି ନେଇ ହିନସ୍ତା ହେଉଛନ୍ତି। ଲିଜଧାରୀ ସୀମା ନିର୍ଧାରଣ ଓ ଖୁଣ୍ଟ ପୋତିବା ନିର୍ଦ୍ଦେଶ ଥିଲେ ମଧ୍ୟ, ଖଣି ବିଭାଗର ନିର୍ଦ୍ଦେଶକୁ ଫୁକାରେ ଉଡାଇ ଦିଆଯାଉଛି।
କେନ୍ଦ୍ର ସରକାର ଜାରି କରିଥିବା ନିୟମ ଅନୁସାରେ ସମସ୍ତ ବାଲିଘାଟରେ ମାନୁଆଲ ପ୍ରକ୍ରିୟାରେ ବାଲି ଉତ୍ତୋଳନ ହେବା ଉଚିତ। ଯେଉଁଠାରେ ଏହା ସମ୍ଭବ ନୁହେଁ, ସେଠାରେ ମେସିନ ଦ୍ୱାରା ବାଲି ଉତ୍ତୋଳନ ପାଇଁ ପରିବେଶ ମଞ୍ଜୁରୀ ଆବଶ୍ୟକ। ମଞ୍ଜୁରୀ ପାଇଁ ବାଲିଘାଟର ଭୌଗୋଳିକ ସ୍ଥିତି, ବାଲିର ପରିମାଣ ଏବଂ ନଦୀର ଗତିପଥ ଅନୁଶୀଳନ କରିବା ଥାଏ ବୋଲି ଉଚ୍ଚ ନ୍ୟାୟାଳୟ ସ୍ପଷ୍ଟ କରିଛନ୍ତି। କିନ୍ତୁ ପ୍ରଶାସନର ଅବହେଳା ଯୋଗୁଁ ଏହା ପାଳନ ହେଉନଥିବା ନେଇ ରାଜସ୍ୱ ହାନୀ ଜାରି ରହିଛି।
ବାଲି ମାଫିଆଙ୍କ ଚାନ୍ଦା ପାଖରେ ବିଭାଗୀୟ ଅଧିକାରୀଙ୍କ ସ୍ୱାଭିମାନ ବନ୍ଧା ପଡ଼ିଥିବା ନେଇ ଲୋକମାନଙ୍କ ମଧ୍ୟରେ ଚର୍ଚ୍ଚା ଚାଲିଛି। ହରଭଙ୍ଗା ଅଞ୍ଚଳର ସାମ୍ବାଦିକମାନେ ମଧ୍ୟ ଏହି ଅନିୟମିତତା ପ୍ରସଙ୍ଗରେ ନିରବ ରହିଥିବା ବେଳେ ତାଙ୍କ ଭୂମିକା ପ୍ରତି ପ୍ରଶ୍ନ ଉଠିଛି।
ଜିଲ୍ଲା ଖଣି ବିଭାଗ ଏବଂ ପୋଲିସ ରାଜନୈତିକ ଚାପରେ ନିରବ ଦ୍ରଷ୍ଟା ହୋଇ ରହିଛନ୍ତି ବୋଲି ଅଭିଯୋଗ ହେଉଛି। ଏହିପରି ସମୟରେ ବାଲି ମାଫିଆମାନେ ନେତାଙ୍କ ବଳରେ ‘କିଚକ ରାଜା’ ଭଳି ଦାଦାଗିରି କରୁଛନ୍ତି। ତେଣୁ ବୌଦ୍ଧ ଜିଲ୍ଲା ପ୍ରଶାସନ ଏହି ଘଟଣା ପ୍ରତି ସ୍ୱତନ୍ତ୍ର ତଦନ୍ତ କରି, ଲଘୁ ଖଣିଜ ନିୟମ ଉଲଂଘନ କରୁଥିବା ଲିଜଧାରୀ ଏବଂ ବାଲି ମାଫିଆଙ୍କ ବିରୋଧରେ କଠୋର କାର୍ଯ୍ୟାନୁଷ୍ଠାନ ନିବାହ କରିବା ପାଇଁ ସାଧାରଣରେ ଦାବି ଉଠିଛି।








