ବୌଦ୍ଧ: ଜିଲ୍ଲାପାଳଙ୍କ କାର୍ଯ୍ୟାଳୟସ୍ଥିତ ସମ୍ମିଳନୀ କକ୍ଷଠାରେ ଜିଲ୍ଲାପାଳ ବିଭୁତି ଭୂଷଣ ନାୟକଙ୍କ ଅଧ୍ୟକ୍ଷତାରେ ଜିଲ୍ଲା ସଡ଼କ ସୁରକ୍ଷା କମିଟି ବୈଠକ ଅନୁଷ୍ଠିତ ହୋଇଯାଇଛି। ବୈଠକରେ ଆଞ୍ଚଳିକ ପରିବହନ ଅଧିକାରୀ ସୁଷମା ସାହୁ ସମସ୍ତଙ୍କୁ ସ୍ୱାଗତ କରିବା ସହ ବାରମ୍ବାର ହେଉଥିବା ଦୁର୍ଘଟଣାକୁ ରୋକିବା ପାଇଁ ବିଭାଗ ପକ୍ଷରୁ ନିଆଯାଇଥିବା ବିଭିନ୍ନ ପଦକ୍ଷେପ ସମ୍ପର୍କରେ ବିସ୍ତୃତ ରିପୋର୍ଟ ପ୍ରଦାନ କରିଥିଲେ। ବାରମ୍ବାର ସମୀକ୍ଷା ସହିତ ଦୁର୍ଘଟଣା ରୋକିବା ଦିଗରେ ବ୍ୟାପକ ସଚେତନତା ସତ୍ତ୍ୱେ ଜିଲ୍ଲାରେ ଦୁର୍ଘଟଣା ସଂଖ୍ୟା ବୃଦ୍ଧି ପାଉଥିବା ନେଇ ବୈଠକରେ ଜିଲ୍ଲାପାଳ ଉଦବେଗ ପ୍ରକାଶ କରିଥିଲେ। ଜାତୀୟ ରାଜପଥ ବିଭାଗ ପକ୍ଷରୁ ଦୁର୍ଘଟଣା ପ୍ରବଣ ସ୍ଥାନଗୁଡିକରେ ସୂଚନା ଫଳକ ଓ ଜାତୀୟ ରାଜପଥ ମରାମତି କରାଯାଉନଥିବାରୁ ଜିଲ୍ଲାପାଳ ଏବଂ ଜିଲ୍ଲା ଆରକ୍ଷୀ ଅଧିକ୍ଷକ ରାହୁଲ ଗୋୟଲ ଅସନ୍ତୋଷ ବ୍ୟକ୍ତ କରିବା ସହିତ ତୁରନ୍ତ ସମସ୍ୟାର ସମାଧାନ ନ ହେଲେ ଆଇନ ଅନୁଯାୟୀ ବିଭାଗ ବିରୋଧରେ କାର୍ଯ୍ୟାନୁଷ୍ଠାନ ଗ୍ରହଣ କରାଯିବ ବୋଲି ଚେତବନୀ ଦେଇଥିଲେ।
ଯେଉଁ ଯେଉଁ ବିଭାଗ ରାସ୍ତା, ସୋଲାର ଲାଇଟ ଲଗାଯିବ, ସାଇନେଜ କରାଯିବ, ରାସ୍ତାଗୁଡିକର ମରାମତି ଆବଶ୍ୟକତା ରହିଛି, ତୁରନ୍ତ ବ୍ୟୟ ଅଟଳଳ ପ୍ରସ୍ତୁତ କରି ଦେବାକୁ ଜିଲ୍ଲାପାଳ ବିଭାଗଗୁଡିକୁ ନିର୍ଦ୍ଦେଶ ଦେଇଥିଲେ। ତଥ୍ୟ ଅନୁଯାୟୀ ଜିଲ୍ଲରେ ୬ଟି ବ୍ଲାକସ୍ପଟ ଚିହ୍ନଟ କରାଯାଇଥିବା ବେଳେ ତୁରନ୍ତ ସେଠାରେ ସୂଚନା ଫଳକ ଲାଗାଇବାକୁ ନିର୍ଦ୍ଦେଶ ଦିଆଯାଇଥିଲା। ପୋଲିସ, ଆଞ୍ଚଳିକ ପରିବହନ ବିଭାଗ, ଜାତୀୟ ରାଜପଥ ବିଭାଗ ପକ୍ଷରୁ ମିଳିତ ଭାବରେ ଯାନବାହାନ ଯାଞ୍ଚ କରିବାକୁ ନିଷ୍ପତି ଗ୍ରହଣ କରାଯାଇଥିଲା। ଦୁର୍ଘଟଣାର ଶିକାର ହେଉଥିବା ଆହତ ବ୍ୟକ୍ତିମାନଙ୍କୁ ତୁରନ୍ତ ଚିକିତ୍ସା ଯୋଗାଇବା ଦିଗରେ ଉଚିତ ପଦକ୍ଷେପ ନେବାକୁ ମଧ୍ୟ ନିର୍ଦ୍ଦେଶ ଦିଆଯାଇଥିଲା।
ଆହତମାନଙ୍କୁ ଉଦ୍ଧାର କରି ଠିକ୍ ସମୟରେ ଚିକିତ୍ସାଳୟ ପହଞ୍ଚାଇଥିବା ୪ ଜଣ ବ୍ୟକ୍ତି ବିଶେଷଙ୍କୁ ବୈଠକରେ ପୁରସ୍କୃତ କରାଯାଇଥିବା ବେଳେ ଏସମ୍ପର୍କରେ ପ୍ରୋତ୍ସାହନ ଓ ସଚେତନତା କରାଯିବା ସହିତ ଡାକ୍ତରଖାନା ପକ୍ଷରୁ ଆଞ୍ଚଳିକ ପରିବହନ କାର୍ଯ୍ୟାଳୟକୁ ଅବଗତ କରାଇବାକୁ ଜିଲା ସ୍ୱାସ୍ଥ୍ୟ ବିଭାଗକୁ ବୈଠକରେ ନିର୍ଦ୍ଦେଶ ଦିଆଯାଇଥିଲା। ଉକ୍ତ ବୈଠକରେ ସମସ୍ତ ବିଭାଗୀୟ ଅଧିକାରୀ ଉପସ୍ଥିତ ଥିବାବେଳେ ଆଞ୍ଚଳିକ ପରିବହନ ଅଧିକାରୀ ସୁଷମା ସାହୁ ଧନ୍ୟବାଦ ପ୍ରଦାନ କରିଥିଲେ।








