ଝାରସୁଗୁଡା: କାହାକୁ ଆଧାରକାର୍ଡ, ମୋବାଇଲ ନମ୍ବର ଦେଉଛନ୍ତି କି ସାବଧାନ । କିଛି ନ ବୁଝି ଆଧାର, ମୋବାଇଲ ନମ୍ବର ଦେଲେ ହୋଇପାରେ ବଡ଼ କ୍ଷତି, ଅସୁବିଧାରେ ପଡ଼ିପାରନ୍ତି ଆପଣ । ଆଧାରକାର୍ଡ, ପ୍ୟାନ କାର୍ଡ, ମୋବାଇଲ ନମ୍ବର ନେଇ ଆପଣଙ୍କ ସର୍ବସ୍ବ ଲୁଟି ନେବେ ଦୁର୍ବୃତ୍ତ୍ । ଏମିତି ଏକ ଖବର ନଜରକୁ ଆସିଛି ଝାରସୁଗୁଡ଼ା ଜିଲ୍ଲାରେ । ଘଟଣାଟି ଘଟିଛି ଝାରସୁଗୁଡ଼ା ସଦର ଥାନା ବିଟିଏମ ଅଞ୍ଚଳରେ । ଜଣେ ବ୍ୟକ୍ତିଙ୍କ ଅଜାଣତରେ ତାଙ୍କ ଆଧାରକାର୍ଡ, ପ୍ୟାନ କାର୍ଡ, ମୋବାଇଲ ନମ୍ବର ଏବଂ ଜାଲ ଦସ୍ତଖତ ବ୍ୟବହାର କରାଯାଇ ଅନ୍ୟ ଜଣଙ୍କ ନାଁରେ ହୋଇଛି ଗାଡ଼ି ଲୋନ । କୌଣସି ଏକ ଜରୁରୀ କାମରେ ଟଙ୍କା ଦରକାର ହେବାରୁ ଋଣ କରିବାକୁ ଯୋଜନା କରିବାବେଳେ ଘଟଣା ଜଣା ପଡ଼ିଲା ।
ଝାରସୁଗୁଡ଼ା ଟାଉନ ଥାନା ଅନ୍ତର୍ଗତ ବଢ଼େଇମୁଣ୍ଡା ଅଞ୍ଚଳରେ ରହୁଥିବା ସୁଦୀପ ଗାଙ୍ଗୁଲି ନାମକ ଜଣେ ବ୍ୟକ୍ତି ଏକ ଜରୁରୀ କାମ ପାଇଁ ବ୍ୟାଙ୍କରୁ ଲୋନ କରିବାକୁ ଯାଇଥିଲେ । ସିବିଲ ଚେକ କରିବାରୁ ଜଣାପଡ଼ିଲା ଏକ ଆଶ୍ଚର୍ଯ୍ୟ କଥା — ତାଙ୍କ ନାଁରେ ୮୦ ହଜାର ଟଙ୍କାର ଗୋଟେ ବାଇକ ଲୋନର ଗ୍ୟାରେଣ୍ଟର ଦର୍ଶାଉଥିବା ଜଣା ପଡ଼ିଛି । ଜାନୁଆରି ୨୦୨୫ରେ ହୋଇଛି ଏହି ବାଇକ ଲୋନ । ସୁଦୀପ ପେଶାରେ ଜଣେ ଡ୍ରାଇଭର । ଗାଡ଼ି କିମ୍ବା ଲୋନ ବିଷୟରେ ପୂର୍ବରୁ କିଛି ଜାଣି ନଥିବା ସୁଦୀପ ହଠାତ୍ ୮୦ ହଜାର ଟଙ୍କାର ଲୋନ କଥା ଜାଣି ଆଶ୍ଚର୍ଯ୍ୟ ହୋଇଯାଇଥିଲେ ।
ଏହି ଘଟଣା ପରେ ସେ ତଦନ୍ତ କରି ଜାଣିଲେ ଯେ ସଦର ଥାନା ଅଧିନରେ ଥିବା ଏକ ବାଇକ ଶୋରୁମରୁ ତାଙ୍କ ନାଁରେ ବାଇକ ଲୋନ ହୋଇଛି । ଏକ ସ୍ପ୍ଲେଣ୍ଡର ଗାଡ଼ି ପାଇଁ ୮୦ ହଜାର ଟଙ୍କା ଲୋନ ହୋଇଥିଲା । ଘଟଣା ନେଇ ସେ ଥାନାର ଦ୍ବାରସ୍ଥ ହେବା ପରେ ସମ୍ପୂର୍ଣ୍ଣ ଘଟଣା ପଦାକୁ ଆସିଲା । ସେ ଜାଣିଲେ ଯେ ଉତ୍ତରପ୍ରଦେଶର ଶୋଭାରାମ ନାମକ ଜଣେ ବ୍ୟକ୍ତି ଏହି ବାଇକ ଲୋନ ନେଇଛି ଏବଂ ସେ ଗ୍ୟାରେଣ୍ଟର ଅଛନ୍ତି । ଏଥିପାଇଁ ଘରୋଇ ଅର୍ଥଲଗାଣ ସଂସ୍ଥା ଶ୍ରୀରାମ ଫାଇନାନ୍ସ ଶୋଭାରାମଙ୍କୁ ୮୦ ହଜାର ଟଙ୍କା ଲୋନ ଦେଇଛି । ଆଧାର, ପ୍ୟାନ କାର୍ଡ ଏବଂ ଜାଲ ଦସ୍ତଖତ ସୁଦୀପ ଗାଙ୍ଗୁଲିଙ୍କ ନାଁରେ ବ୍ୟବହାର ହୋଇଛି । ଫୋନ ଯୋଗେ ଯୋଗ କରିଲେ ଶୋଭାରାମ କୌଣସି ଉତ୍ତର ଦେଇନଥିଲେ । ତେବେ ଜଣାପଡ଼ିଛି ଯେ ତାଙ୍କ ନାଁରେ ଥିବା ଗାଡ଼ି ଏବେ ରାଉରକେଲାରେ ଶୋଭାରାମଙ୍କ ଆତ୍ମୀୟ ବ୍ୟବହାର କରୁଛନ୍ତି ।
ସୁଦୀପ ଏହି ଘଟଣା ପରେ ପ୍ରଥମେ ଟାଉନ ଥାନା, ପରେ ସଦର ଥାନା ଏବଂ ଶେଷରେ ସଦର ଥାନାରେ ଏତଲା ଦେଇଛନ୍ତି । ତଥାପି, ସେ ଅଭିଯୋଗ କରିଛନ୍ତି ଯେ ପୋଲିସ ପକ୍ଷରୁ ଏ ପର୍ଯ୍ୟନ୍ତ କୌଣସି ଏଫଆଇଆର ରେଜିଷ୍ଟର ହୋଇନାହିଁ କିମ୍ବା କାର୍ଯ୍ୟାନୁଷ୍ଠାନ ହୋଇନାହିଁ । ଏଠି ବଡ଼ ପ୍ରଶ୍ନ ଉଠୁଛି — ଘରୋଇ ଅର୍ଥଲଗାଣ ସଂସ୍ଥା ଶ୍ରୀରାମ ଫାଇନାନ୍ସ କେମିତି ଅନ୍ୟ ଜଣଙ୍କ କାଗଜପତ୍ର ଜାଲିଆତି କରି ଲୋନ ଦେଲେ । ଏହି ଋଣ ଜାଲିଆତି ନେଇ ଝାରସୁଗୁଡ଼ାରେ ଏବେ ଚର୍ଚ୍ଚାର ବିଷୟ ପାଲଟିଛି ।
ଘଟଣା ନେଇ ସୁଦୀପ ଗାଙ୍ଗୁଲି ମାନସିକ ଅଶାନ୍ତିରେ ରହୁଛନ୍ତି । ଜରୁରୀ କାମ ପାଇଁ ଅର୍ଥ ସଂଗ୍ରହ ତାଙ୍କ ଚିନ୍ତା ବଢ଼ାଇ ଦେଇଛି । ଏପଟେ, ଯଦି ଜାଲିଆତି କରି ବାଇକ ଲୋନ ନେଇଥିବା ବ୍ୟକ୍ତି ଏହି ବାଇକକୁ ବେଆଇନ କାମରେ ବ୍ୟବହାର କରିଥାଏ, ସେପରିସ୍ଥିତିରେ ସୁଦୀପଙ୍କ ପାଇଁ ଆଉ ଅଧିକ ସମସ୍ୟା ହେବା ସମ୍ଭାବନା ଅଛି । ତେଣୁ ସୁଦୀପ ପୋଲିସଙ୍କୁ ତୁରନ୍ତ କାର୍ଯ୍ୟାନୁଷ୍ଠାନ ନେବା ପାଇଁ ଅନୁରୋଧ କରିଛନ୍ତି । ଅନ୍ୟପଟେ ସଦର ଥାନା ଆଇଆଇସି ସ୍ୱପ୍ନା ରାଣୀ ଗୋଛାୟତ କହିଛନ୍ତି ଯେ, ଶୋଭାରାମ ଥାନାକୁ ଆସିଲା ପରେ କାଗଜପତ୍ର ଯାଞ୍ଚ କରାଯିବ ଏବଂ ତାପରେ ଦୋଷୀ ବିରୁଦ୍ଧରେ ପଦକ୍ଷେପ ନିଆଯିବ ।










