ହରଭଙ୍ଗା, ବୌଦ୍ଧ : ହରଭଙ୍ଗା ପଞ୍ଚାୟତ ସମିତି ସଭାଗୃହରେ ପଞ୍ଚାୟତ ସମିତି ଉପାଧ୍ୟକ୍ଷ କାହ୍ନୁ ଚରଣ ନାଥଙ୍କ ଅଧ୍ୟକ୍ଷତାରେ ୧୦ମ ସାଧାରଣ ରୁଦ୍ଧଦ୍ୱାର ବୈଠକ ଅନୁଷ୍ଠିତ ହୋଇଗଲା। ଏହି ବୈଠକ ପାଇଁ ବିଡ଼ିଓ କାର୍ଯ୍ୟାଳୟ ପକ୍ଷରୁ ସାମ୍ବାଦିକମାନଙ୍କୁ କୌଣସି ସୂଚନା ନ ଦିଆଯାଇଥିବା ନେଇ ଅସନ୍ତୋଷ ଦେଖାଯାଇଛି। ବୈଠକରେ ବୌଦ୍ଧ ବିଧାୟକଙ୍କ ପ୍ରତିନିଧି ସୁଶାନ୍ତ କୁମାର ପ୍ରଧାନ, କନ୍ଧମାଳ ସାଂସଦଙ୍କ ପ୍ରତିନିଧି ରବି ନାରାୟଣ ପ୍ରଧାନ, ଜିଲ୍ଲା ପରିଷଦ ଅଧ୍ୟକ୍ଷା ପ୍ରଭାସିନୀ ଦାସ, ଜିଲ୍ଲା ପରିଷଦ ସଭ୍ୟ ବିଶ୍ୱଜିତ ମିଶ୍ର ଏବଂ ତାରାମଣି ପ୍ରଧାନ ସହ ବିଭିନ୍ନ ବିଭାଗର ଅଧିକାରୀମାନେ ଯୋଗ ଦେଇ ଉନ୍ନୟନ କାର୍ଯ୍ୟ ଉପରେ ଆଲୋଚନା କରିଥିଲେ। ଏହି ସମୟରେ ବ୍ଲକ ଅଧ୍ୟକ୍ଷାଙ୍କ ଅନୁପସ୍ଥିତି ନେଇ ଅଞ୍ଚଳରେ ଭିତରିଆ ଚର୍ଚ୍ଚା ଶୁଣିବାକୁ ମିଳିଥିଲା।
ବୈଠକ ପ୍ରାରମ୍ଭରେ ହରଭଙ୍ଗା ଗୋଷ୍ଠୀ ଉନ୍ନୟନ ଅଧିକାରୀ ବିଜୟ କୁମାର ପ୍ରଧାନ ସମସ୍ତଙ୍କୁ ସ୍ବାଗତ କରିଥିଲେ। ବୈଠକରେ ଶିକ୍ଷା, ସ୍ବାସ୍ଥ୍ୟ, କୃଷି, ଉଦ୍ୟାନ, ଗ୍ରାମ ଉନ୍ନୟନ, ଗ୍ରାମ ପଞ୍ଚାୟତ, ଜଳ ଯୋଗାଣ, ସମନ୍ୱିତ ଶିଶୁ ବିକାଶ, ଆବାସ, ଗମନାଗମନ, ମତ୍ସ୍ୟ, ଯୋଗାଣ, ମନରେଗା, ବନ, ବନ୍ୟପ୍ରାଣୀ, ମୃତ୍ତିକା ସଂରକ୍ଷଣ, ଉଠା ଜଳସେଚନ, ସାମାଜିକ ସୁରକ୍ଷା ଓ ଭିନ୍ନକ୍ଷମ ସଶକ୍ତିକରଣ ବିଭାଗ ଉପରେ ବିଶେଷ ଆଲୋଚନା ହୋଇଥିଲା। କିନ୍ତୁ କ୍ଷୁଦ୍ର ଜଳସେଚନ, ପ୍ରାଣୀ ପାଳନ, କେନ୍ଦୁପତ୍ର, ପୂର୍ତ୍ତ ବିଭାଗ ଏବଂ ଜାତୀୟ ରାଜପଥ ବିଭାଗର ଅଧିକାରୀମାନେ ଅନୁପସ୍ଥିତ ଥିଲେ।
ହରଭଙ୍ଗା ବ୍ଲକରେ ଶିକ୍ଷକ, ରୋଗ ବିଶେଷଜ୍ଞ, ଯନ୍ତ୍ରୀ ଏବଂ ଯୋଗାଣ ସହାୟକଙ୍କ ଗୁରୁତର ଅଭାବ ରହିଥିବା ଜଣାପଡ଼ିଛି। ୯୭ ଜଣ ଶିକ୍ଷକ ଏବଂ ୮ ଜଣ ଯୋଗାଣ ସହାୟକ ଅଭାବରେ ବ୍ଲକର ଶିକ୍ଷା ଓ ସରବରାହ ବ୍ୟବସ୍ଥା ପ୍ରଭାବିତ ହୋଇଛି। ପୁରୁଣାକଟକ ଗୋଷ୍ଠୀ ଚିକିତ୍ସାଳୟରେ ୪ ଜଣ ବିଶେଷଜ୍ଞଙ୍କ ସ୍ଥାନରେ ମାତ୍ର ଜଣେ କାର୍ଯ୍ୟରତ ରହିବା ଓ ରଞ୍ଜନରଶ୍ମି ଅଚଳ ଥିବା ଘଟଣା ଚର୍ଚ୍ଚାରେ ଥିଲା। ସମୀକ୍ଷା ଲକ୍ଷ୍ମୀ ବସର କର୍ମଚାରୀମାନଙ୍କୁ ୬ ମାସର ବକେୟା ଦରମା ମିଳିନଥିବା ଅଭିଯୋଗ ମଧ୍ୟ ଉଠିଥିଲା।
ବ୍ଲକ କାର୍ଯ୍ୟାଳୟ ପରିସରରେ ଅତିଥି ଭବନ ନିର୍ମାଣ, ଝାଡୁଦାର ଏବଂ ରାତ୍ରି ଜଗୁଆଳି ନିଯୁକ୍ତି, ସହିତ ଷ୍ଟ୍ରିଟ ଲାଇଟ ପରିପୂର୍ଣ୍ଣ କରିବା ପାଇଁ ପ୍ରସ୍ତାବ ଆସିଥିଲା। କରଞ୍ଜକଟା ଉଚ୍ଚ ବିଦ୍ୟାଳୟରେ କମ୍ପୁଟର ଶିକ୍ଷକ ନଥିବା ଏବଂ ଶ୍ରେଣୀଗୃହ ଅଭାବ ଯୋଗୁଁ ଛାତ୍ରଛାତ୍ରୀମାନେ ତଳେ ବସି ଶିକ୍ଷା ଗ୍ରହଣ କରୁଥିବା ନେଇ ସରପଞ୍ଚ ଅଭିଯୋଗ କରିଥିଲେ।
ଉକ୍ତ ବୈଠକରେ ବ୍ଲକର ସମସ୍ତ ପଞ୍ଚାୟତର ସରପଞ୍ଚ, ସମିତି ସଭ୍ୟ ଏବଂ ବିଭିନ୍ନ ବିଭାଗର ଅଧିକାରୀମାନେ ଉପସ୍ଥିତ ରହି ଆଲୋଚନାରେ ଅଂଶ ଗ୍ରହଣ କରିଥିଲେ। ବୈଠକ ଶେଷରେ ଜିପିଡିଓ ଯତୀନ ମିଶ୍ର ସମସ୍ତଙ୍କୁ ଧନ୍ୟବାଦ ଜଣାଇ ସଭା ଶେଷ କରିଥିଲେ।








