ଝାରସୁଗୁଡ଼ା(ବିଜୟ ଶଙ୍କର ଦାଶ): ଝାରସୁଗୁଡ଼ାରେ ନିର୍ମାଣ ହେବା ପରଠାରୁ ବେଦାନ୍ତର ପିଛା ଛାଡୁନାହିଁ ଜନ ଅସନ୍ତୋଷ l କେତେବେଳେ ବେକାର ଯୁବକ ଯୁବତୀଙ୍କୁ ନିଯୁକ୍ତି ତ କେତେବେଳେ ଭାରୀ ଯାନବାହାନ ଚଳାଚଳ ଯୋଗୁଁ ଟ୍ରାଫିକ ସମସ୍ୟା l କେତେବେଳେ ପାଉଁଶ ପୋଖରୀ ଭୁଷୁଡି ଯିବା ଘଟଣା ତ କେତେବେଳେ ବେଦାନ୍ତ କମ୍ପାନୀରୁ ବାହାରୁଥିବା ବର୍ଜ୍ୟବସ୍ତୁ ପାଉଁଶ ଯୋଗୁଁ ପରିବେଶ ପ୍ରଦୂଷଣ l ହେଲେ ଉକ୍ତ ସମସ୍ୟା ଗୁଡ଼ିକର ସ୍ଥାୟୀ ସମାଧାନ ଏ ପର୍ଯ୍ୟନ୍ତ ହେଉନଥିବା ଅଭିଯୋଗ ହେଉଛି l ଏପରି ଏକ ସମସ୍ୟାର ସ୍ଥାୟୀ ସମାଧାନ ପାଇଁ କାତିକେଲା ଗ୍ରାମ ପଞ୍ଚାୟତ ଅନ୍ତର୍ଗତ ଭୁର୍କାମୁଣ୍ଡା ଗ୍ରାମବାସୀ ଜିଲ୍ଲାପାଳଙ୍କ ଜନଶୁଣାଣୀ ଶିବିର କୁ ଆସିଥିବା ବେଳେ ଗଣମାଧ୍ୟମ ଆଗରେ କ୍ଷୋଭ ପ୍ରକାଶ କରିଛନ୍ତି l
ଗ୍ରାମବାସୀଙ୍କ ଅଭିଯୋଗ ଅନୁଯାୟୀ ବେଦାନ୍ତ କମ୍ପାନୀ ଆସିବା ଶୁଣି ଅନେକ ଗୁଡ଼ିଏ ଆଶାର ସଂଚାର ହୋଇଥିଲା l ହେଲେ ପରବର୍ତ୍ତୀ ସମୟରେ ବେଦାନ୍ତ କମ୍ପାନୀର କର୍ଯ୍ୟଶୈଳୀକୁ ନେଇ ଅସନ୍ତୋଷ ବଢିବାରେ ଲାଗିଛି l ଭୁର୍କାମୁଣ୍ଡା ଗାଁ ର ୯୦ ପ୍ରତିଶତ ଜମି ବେଦାନ୍ତ କମ୍ପାନୀ ଅଧିଗ୍ରହଣ କରି ସାରିଥିବା ବେଳେ ପରିବେଶ ପ୍ରଦୂଷଣ ଯୋଗୁଁ ଅବଶିଷ୍ଟ ୧୦ ପ୍ରତିଶତ ଜମି ଚାଷ ଉପଯୋଗୀ ହୋଇ ରହିନାହିଁ l କାରଖାନାର ଶବ୍ଦ ପ୍ରଦୂଷଣ ଯୋଗୁଁ ବେଦାନ୍ତ କମ୍ପାନୀ ପାଚେରୀ ନିକଟରେ ଥିବା ସ୍କୁଲରେ ପାଠ ପଢିବା ପାଇଁ ଇଚ୍ଛା କରୁ ନାହାନ୍ତି ଛାତ୍ର ଛାତ୍ରୀ l ଏନେଇ ବିଗତ ଦିନରେ ଏକାଧିକ ଥର ବେଦାନ୍ତ କମ୍ପାନୀ କର୍ତ୍ତୃପକ୍ଷ ଓ ଜିଲ୍ଲାପାଳଙ୍କ ଦ୍ବାରସ୍ଥ ହୋଇଥିବା ବେଳେ ଏହାର ସ୍ଥାୟୀ ସମାଧାନ ହୋଇ ପାରିନଥିବା ଭୁର୍କାମୁଣ୍ଡା ଗାଁ ଲୋକେ ଅଭିଯୋଗ କରିଛନ୍ତି l ଏହି ସମସ୍ୟାର ସ୍ଥାୟୀ ସମାଧାନ ନହେଲେ ଆଗାମୀ ଦିନରେ ଆନ୍ଦୋଳନ ପନ୍ଥା ଗ୍ରହଣ କରିବେ ବୋଲି ଭୁର୍କାମୁଣ୍ଡା ଗାଁ ଲୋକେ ଚେତାବନୀ ଦେଇଛନ୍ତି l












