ଭୁବନେଶ୍ବର: ସ୍ବଚ୍ଛତା ପ୍ରୟାସ । ଏକାଠି ହେଲେ ଗାଁର ପିଲାଠୁ ବୟସ୍କ । ମିଳିମିଶି ସଫା କଲେ ଗାଁ ଛକ, ରାସ୍ତଘାଟ, ପୋଖରୀ ହୁଡ଼ାଠୁ ଆରମ୍ଭ କରି ଶ୍ମଶାନ ଘାଟ । ଗାଁର ଅପରିଷ୍କାର ପରିବେଶ ନେଇ ବାହାରଲୋକ ଓ ପଥଚାରୀଙ୍କଠାରୁ ନାନା କଥା ଶୁଣିବା ପରେ ଏକାଠି ହୋଇ ଅଣ୍ଟା ଭିଡିଛନ୍ତି ନୟାଗଡ଼ ବ୍ଲକ ଡ଼ିଆଁପଡ଼ା ଗାଁ ଲୋକ । ଶହେରୁ ଅଧିକ ଘର ସହ ପାଖାପାଖି ହଜାରେ ଲୋକ ରୁହନ୍ତି ଗାଁରେ । ଅବହେଳା ଓ ଅସହଯୋଗ ଅଭାବରୁ ଗାଁ ପରିବେଶ ଖରାପ ହୋଇଥିଲା । ଅସ୍ବାସ୍ଥ୍ୟକର ପରିବେଶ ମଧ୍ୟରେ ଗାଁର ପ୍ରତିଛବିକୁ ନେଇ ଗାଁଲୋକ ଯେତିକି ଚିନ୍ତିତ ଥିଲେ, ଚାଟୁ ଅଧିକ ବାହାର ଲୋକଙ୍କ ସମାଲୋଚନା ଗାଁର ଚିନ୍ତାଶୀଳ ଲୋକଙ୍କ ମୁଣ୍ଡ ବିନ୍ଧାର କାରଣ ସାଜିଥିଲା ।
ନିଜର ଭୁଲ ବୁଝି ଗାଁ ଲୋକେ ଅଣ୍ଟା ଭିଡ଼ିଛନ୍ତି, ଗାଁର ସୁରକ୍ଷା ଏବଂ ବିକାଶ ପାଇଁ ସମସ୍ତ ଏକାଠି ହୋଇଛନ୍ତି । ଗାଁକୁ ନିଶା ମୁକ୍ତ କରିବା ସହ ଖୋଲାରେ ମଳ ତ୍ୟାଗ ରୋକ୍ ଲଗାଇଛନ୍ତି । ପୋଖରୀ ହୁଡ଼ା ଏବଂ ରାସ୍ତାକଡରେ ମଳ ତ୍ୟାଗ କଲେ ଅମାନିଆଙ୍କ ଉପରେ ୫ ଶହ ଟଙ୍କା ଜୋରିମନା, ଏହା ସହ ନିଶା ଖାଇ ବିଶୁଙ୍ଖଳା କରୁଥିବା ଲୋକଙ୍କ ଉପରେ ୫ ହାଜାର ଟଙ୍କା ଜୋରିମନା କରାଯାଉଛି । ଗାଁ ଲୋକଙ୍କ କହିବା କଥା ପୂର୍ବରୁ ଗାଁର ଏକତା ନଥିଲା, ଘରରୁ ବାହାରୁ ଥିବା ଅଳିଆ ଆବର୍ଜନାକୁ ଯିଏ ଯେଉଁଠି ପାରିଲା ପକାଉଥିଲା । ପୋଖରୀ ହୁଡ଼ାରେ ଲଟିଲୁଟା ମାଡ଼ିବା ସହ ପୋଖରୀ ପାଣି ଦଳରେ ପୂର୍ଣ୍ଣ ହୋଇଥିଲା ।
ଗାଁ ମନ୍ଦିରଠୁ, ଶ୍ମଶାନ ସବୁଠି ଅସ୍ଵାସ୍ଥ୍ୟକର ପରିବେଶ ଥିଲା । ଏହାକୁ ସଫା କରିବାକୁ ଏକାଠି ହେଲେ ଗାଁର କିଛି ଚିନ୍ତାଶୀଳ ଲୋକେ । ଭୁଲର ପୁନରାବୃତ୍ତି ନ କରି ଗାଁକୁ ସଫା ସୁତରା ରଖିବାକୁ ଗାଁ ସଭା ଡକାଇଥିଲେ । ସଭାରେ ସ୍ଥିର ହେଲା ସମସ୍ତେ ମିଶି ସଫେଇ ଅଭିଯାନକୁ ତୀବ୍ର କରିବେ । ଶ୍ରମ ଦାନ କରି ଗାଁ ପରିବେଶକୁ ସବୁଜ, ସୁନ୍ଦର କରିବେ । ପ୍ରତିଘରୁ ଜଣେ ସଦସ୍ୟ ଗାଁର ସ୍ବାସ୍ଥ୍ୟ, ଶିକ୍ଷା ଏବଂ ପରିମଳ କାର୍ଯ୍ୟରେ ସହଯୋଗ କରିବେ ।
ଏହା ପରେ ଗାଁର ଲୋକମାନେ ଏକାଠି ହୋଇ ପୋଖରୀ ପାଣି ଏବଂ ପୋଖରୀ ହୁଡ଼ାରୁ ଆବର୍ଜ୍ଜନାକୁ ସଫା କରିବା ସହ ମନ୍ଦିର ଏବଂ ଶ୍ମଶାନ ପରିସରକୁ ମଧ୍ୟ ସଫା କରିଥିଲେ । ଆଗକୁ ମଧ୍ୟ ଏଭଳି ଉଦ୍ୟମ ଜାରି ରଖିବା ପାଇଁ ଗାଁର ଲୋକ ମାନେ ନିଷ୍ପତି କହିଛନ୍ତି । ସରକାରୀ ଅନୁଦାନକୁ ଅପେକ୍ଷା ନ କରି ଗାଁ ଲୋକେ ନିଜ ଉଦ୍ୟମରେ ଗାଁ ପରିବେଶକୁ ପରିଷ୍କାର ପରିଚ୍ଛନ୍ନ ରଖିବାକୁ ନେଇ ମିଳିତ ଉଦ୍ୟମ ଏବେ ଚର୍ଚାର ବିଷୟ ପାଲଟିଛି । ବାଟରେ ଯାଉଥିବା ଲୋକେ ଆଲୋଚନା କରୁଛନ୍ତି — ସ୍ବଚ୍ଛତାର ବାର୍ତ୍ତା ଦେଉଛି ଡିଆଁପଡ଼ା ।










